ରାଗ - ପୂରବୀ
ରତ୍ନାକର ଚମ୍ପୂର 'କ' ପଟଳ ବୃତ୍ତେ
ରଚନା - ପ୍ରଦୀପ କୁମାର ଜିଲିକାରା
ଠିକଣା - ହାଡ଼ଶିଙ୍କୁଳା, ରାୟଗଡ଼ା
କମଳ ନୟନା ଦେଲା ଚାହିଁ.
ଖଳ ମାର ଶର ମାରୁ ଥାଇ.
ଗର - କଣ୍ଠ କଣ୍ଠ ଭୂଷା ପରି ବେଣୀ.
ଘନ କେଶା ସମ ଥିବେ କାହିଁ.
ନତନୁ ମୋହିନୀ.
ଚାରୁ ଚନ୍ଦ୍ରାନନା କୁନ୍ଦ ସୁହାସିନୀ.. ୧
ଛଇଳା ବର ପାଶରେ ବସି.
ଜଘନ ରମ୍ଭା ଅକ୍ଷେ ଦରଶି.
ଝୀନ ବସନାର ହୋଇବାକୁ ବର
ନାରାୟଣଙ୍କୁ ଥିଲି ମନାସି.
ଟେକି ମୁଖ ତାର.
ଠଣାରୁ ଇକ୍ଷଣ କରିଲା ବାହାର.. ୨
ଡର ଡର ପରି ତା ଚାହାଣୀ.
ଢାଳିଲା ନାହିଁ ତ କେଡ଼େ ଆଣି.
ଅତନୁ ନାୟିକା ତାର ପଦେ ବିକା
ତେଣୁ ନ ଚାହିଁଲା ଜାଣି ଜାଣି.
ଥିବି ତା କୋୟର.
ଦାଡ଼ିମ୍ବ ଦଶନା ହୋଇଲେକ ମୋର.. ୩
ଧୀରା ହୀରା ଚକ୍ର ମଥାମଣି.
ନାରିକେଳ ଉରୋରୂହା ବାଣୀ.
ପିକଠୁ ମଧୁର ବାଜି ମୋ ଶ୍ରୁତିର
ଫାଳ କରିଦେଲା ଯୁବା ଟାଣି.
ବାର ବାର ଲୋକି,
ଭୂରୁ ତାର କାମ ଶାୟକାସନ କି ? ୪
ମୁଜୁର ଚନ୍ଦ୍ରିକା ସୁଚିକୁରା.
ଯାନ ବାଣୀର ଗମନ ହରା.
ରସିଥାନ୍ତା ଯେବେ ମୋର ଇଷ୍ଟଦେବେ
ଲକ୍ଷେ ଅଜା ହୋଇଥାନ୍ତା ମରା.
ବାରିଜ ସୁଗନ୍ଧା.
ଶ୍ୟାମା ପୀରତିର ଫାନ୍ଦେ ହେଲି ବନ୍ଦା.. ୫
ଷଡ଼ାନନ ମୁଖ ପୁର ଗୁଣ.
ସ୍ନେହୀ ବାଳି ବୟ ଅନୁମାନ.
ହୋଇଥିବ କବି ପ୍ରଦୀପ ଯେ ଭାବି
କ୍ଷମେ ଗୀତ କରେ ବିରଚନ.
କ୍ଷିତିପତି ହେବି.
କ୍ଷିତି ମଣ୍ଡନାକୁ ଅଙ୍କେ ମଣ୍ଡାଇବି.. ୬
---- ଟୀକା --- ବିଶେଷ ଦ୍ରଷ୍ଟବ୍ୟ :- କ ଠାରୁ କ୍ଷ ଆଦ୍ୟ ନିୟମରେ
ଗର କଣ୍ଠ କଣ୍ଠ ଭୂଷା - ସର୍ପ, କୁନ୍ଦ- ମଲ୍ଲୀ, ଅକ୍ଷ- ଆଖି, ଇକ୍ଷଣ- ନେତ୍ର, ନତନୁ - କନ୍ଦର୍ପ, ଠଣା - ଝରକା, ଅତନୁ ନାୟିକା - ରତି, କୋୟର - ଚାକର, ଦାଡ଼ିମ୍ବ ଦଶନା - ଡାଳିମ୍ବ ଫଳ ଦନ୍ତୀ, ନାରିକେଳ - ନଡ଼ିଆ, ଉରୋରୂହା - ସ୍ତନା, ପିକ - କୋଇଲି, ଶାୟକାସନ - ଧନୁ, ମୁଜୁର ଚନ୍ଦ୍ରିକା - ମୟୂର ଚୂଳ, ଯାନ ବାଣୀ ର - ହଂସ, ଅଜା - ଛେଳି, ବାରିଜ - ପଦ୍ମ, କଞ୍ଜ- ପଦ୍ମ, ଶ୍ୟାମା - ତପ୍ତ ଉଜ୍ଜଳ ସୁବର୍ଣ୍ଣ ବର୍ଣ୍ଣା, ଷଡ଼ାନନ ମୁଖ ପୁର ଗୁଣ - ଛଅ ମୁଖ ଗୁଣ ତିନି ପୁର - ତିନି ଗୁଣ ଛଅ ହେବ ଅଠର, କ୍ଷମେ - ଆନନ୍ଦରେ, କ୍ଷିତିପତିି - ରାଜା, ଅଙ୍କେ - କୋଳେ।